STORY: WASHERMAN’S DONKEY

ଦୂର ଗ୍ରାମରେ ଗୋଟିଏ ଧୋବା ରହୁଥିଲା . ସେ ପ୍ରତ୍ୟେକ ଦିନ  ଲୋକଙ୍କ ଘରକୁ ଯାଇ ତାଙ୍କର ମଇଳା  ଲୁଗାପଟା  ଧୋଇବା ପାଇଁ ନେଇ ଆସୁ ଥିଲା . ଧୋବା ପାଖରେ ଗୋଟିଏ ଗଧ ଥିଲା . ସେ ତା ଉପରେ ଲୁଗାପଟା ଲଦି ନିଆ ଅଣା କରୁଥିଲା . ଗଧ ଏବେ ବହୁତ ବୁଢା ଏବଂ ଦୁର୍ବଳ  ହୋଇ ଯାଇ ଥିଲା . ଗୋଟିଏ ଦିନ ଦ୍ବିପହର ସମୟରେ ଧୋବା କିଛି ଲୁଗାପଟା ଦେଇ ସାରି ଘରକୁ ଫେରୁ  ଥିଲା . ଭୀଷଣ ଖରା ଓ ଗରମର ପ୍ରକୋପରୁ ଗଧ ଓ ତାର ମାଲିକର ଅବସ୍ଥା ଖରାପ ହୋଇ ଯାଇ ଥିଲା . ଉଭୟ ଗରମକୁ  ସହ୍ୟ କରି ପାରୁ ନ ଥିଲେ. ଘର ପାଖରୁ କିଛି ଦୂରରେ  ଅଚାନକ ଗଧର ଗୋଡ଼ ଖସି ଗଲା ଓ ବିଚରା ଗୋଟେ  ବଡ଼ ଗାତରେ ପଡିଗଲା . ସେ ତାର ସମସ୍ତ ଶକ୍ତି ପ୍ରୟୋଗ କରି ମଧ୍ୟ ଗାତରୁ ଉଠି ପାରିଲା ନାହିଁ . ତେଣୁ ସେ ବହୁତ ଡରିଗଲା ଓ ଉଚ୍ଚ ସ୍ୱରରେ ରଡି ଛାଡିଲା . ଧୋବା ମଧ୍ୟ ତାକୁ ଉଠେଇବାକୁ ବହୁତ ଚେଷ୍ଟା କଲା . ବହୁତ ବାର ଚେଷ୍ଟା କରି ବିଫଳ ହେବା ପରେ ଭାବିଲା ମୋର ଗଧଟି ବୁଢା ହୋଇ ଯାଇଛି .ବେଶୀ କାମ ମଧ୍ୟ କରି ପାରୁ ନାହିଁ .ଏଇ ଗାତରୁ ବଂଚେଇଲେ ବି ବେଶୀ ଲାଭ ନାହିଁ . ତେଣୁ ସେ ଭାବିଲା ଏଇ ଗାତରେ ହିଁ ତାକୁ ପୋତି ଦେଲେ ଭଲ ହେବ.

ଏଇ ନିର୍ଣ୍ଣୟ  ନେବା ପରେ ଧୋବା ଗାଁ ଲୋକଙ୍କୁ ଉଚ୍ଚ ସ୍ୱରରେ ଡାକ ଛାଡିଲା. ଗାଁ ଲୋକ କୋଦାଳ ଓ ଗଈଂତୀ ଧରି ଆସିଗଲେ. ସମସ୍ତେ ମିଳିମିଶି ଗାତରେ ମାଟି ପକେଇବା ଆରମ୍ଭ କଲେ . ଗାତ ପୋତି ଗଧକୁ ମଧ୍ୟ ସେଠାରେ ପୋତି ଦେବା ପାଇଁ କାମ ଚାଲିଲା. ଯେତେବେଳେ ଉପରୁ ମାଟି ପଡିଲା ଗଧ ବିଚରା ପ୍ରଥମରୁ  କିଛି  ବୁଝି ପାରିଲା ନାହିଁ. ପରେ କିନ୍ତୁ ଯେତେବେଳେ ବୁଝି ପାରିଲା ଯେ ତାକୁ ପୋତିବାର ଯୋଜନା ଚାଲିଛି , ତାର ଆଖିରୁ ଲୁହ ଝରି ପଡିଲା. ତାପରେ କିଛି ସମୟ ବହୁତ ଜୋରରେ ଆବାଜ କରି  କାନ୍ଦିଲା. ଅନ୍ୟ ଉପାୟ ନ ପାଇ ନିଜକୁ ବଞ୍ଚାଇବା ପାଇଁ ଚିନ୍ତା କଲା. ଶେଷରେ କାନ୍ଦିବା ବନ୍ଦ କରି   ତା ଉପରେ ପଡୁଥିବା ମାଟିକୁ ପ୍ରତ୍ୟେକ ବାର ଝାଡ଼ି ଦେଇ ଉପରକୁ ଉଠିବାକୁ ଚେଷ୍ଟା କଲା.

କିଛି ସମୟ ପରେ ଧୋବା ଯେତେବେଳେ ଗାତକୁ ଝାଙ୍କି ଦେଖିଲା , ତାକୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା . କାରଣ ସେ ଭାବି ନ ଥିଲା ଯେ ତାର ଗଧ ବଂଚିବା ପାଇଁ ଏପରି ଉପାୟ କରିପାରେ . ଗଧ ତାର ପିଠି ଉପରେ ପଡୁଥିବା ମାଟିକୁ ଝାଡି  ଦେଇ ଗୋଟିଏ କଦମ ଉପରକୁ ଉଠିବାର ପ୍ରୟାସ ଚାଲୁ ରଖିଥାଏ . ଧୀରେ ଧୀରେ ଗାତରେ ମାଟି ଭରିଗଲା ଓ ଗଧ ପୁରା ଉପରକୁ  ଉଠିଗଲା . ଶେଷରେ ସେ ଗୋଟିଏ କୁଦା ମାରି ଆନନ୍ଦରେ ଡେଇଁ ଡେଇଁ ପଳାଇ ଗଲା . ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଏ ଦୃଶ୍ୟ ଦେଖୁ ଥିଲେ .

ବନ୍ଧୁ ବର୍ଗ ,

ଏଇ କାହାଣୀ ଆମକୁ ବହୁତ ବଡ଼ ଶିକ୍ଷା ଦେଉଛି .ଆମେ ଏ କଥା ମନେ ରଖିବା ଦରକାର ଯେ ଜୀବନରେ ବହୁତ  ଥର ଆମ ଉପରେ ଲୋକେ ମାଟି ପକାନ୍ତି. ବହୁତ ଥର ବଡ଼ ବଡ଼ ମୁସ୍କିଲର ସାମନା  ଆମକୁ କରିବାକୁ ପଡେ .କିନ୍ତୁ ଜୀବନରେ  ମୁସ୍କିଲ ର କୂଅ ବା ଗାତରୁ ବାହାରିବାର ଉପାୟ ହେଲା ନିଜ ଇପରେ ପଡୁଥିବା ମୁସ୍କିଲ ରୁପି ମାଟିକୁ ପ୍ରତ୍ୟେକ ବାର ଝାଡ଼ି  ଦେଇ ଗୋଟିଏ କଦମ ଉପରକୁ ଉଠିଯିବା. ଆମର ସମସ୍ୟା ଯେତେ ବଡ଼ ହେଇନା କାହିଁକି ସେଥି  ପ୍ରତି ଭୟ ବା ଭୃକ୍ଷେପ ନ କରି ଆମେ କର୍ତ୍ତବ୍ୟରେ  ଆଗେଇ ଯିବା ଉଚିତ. ପ୍ରତ୍ୟେକ ସମସ୍ୟା ରୁପି ମାଟିକୁ ଦେହରୁ ଝଡି ଦେଇ ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଆଗେଇ ଗଲେ ସଫଳ ହୋଇ ପାରିବା.  

ଏହା ଏକ ଲୋକକଥା ଉପରେ ଆଧାରିତ ପୁରୁଣା କାହାଣୀ ଯାହାର ସାରମର୍ମ ସର୍ବତ୍ର ପ୍ରଯୁଜ୍ୟ .ନିଜର ଚେଷ୍ଟା ଥିଲେ ଉପାୟ ବଳେ ବଳେ ଆସେ . ସମସ୍ୟା ଯେମିତି ହେଉନା କାହିଁକି ସମାଧାନ ନିଜେ ପ୍ରସ୍ତୁତ କରିବାକୁ ପଡେ ଏବଂ ଏଇ ସମାଧାନ ଶେଷରେ ସଫଳ ରୂପ ନିଏ . କାହାଣୀଟି କିପରି ଲାଗିଲା ନିଶ୍ଚୟ ଜଣାଇବେ.

ରହିଲି .

 

ରତିକାନ୍ତ ସିଂହ                         

Ratikanta Singh