ବୁଦ୍ଧଙ୍କ ଜୀବନୀରୁ ପ୍ରେରଣାଦାୟକ  କାହାଣୀ

ଏଇ କାହାଣୀଟି ସେଇ ସମୟର ଯେତେବେଳେ ମହାତ୍ମା ବୁଦ୍ଧ ସାରା ବିଶ୍ୱରେ ଭ୍ରମଣ କରି ବୌଦ୍ଧ ଧର୍ମର ପ୍ରଚାର ପ୍ରସାରରେ ଲାଗି ପଡି ଥିଲେ ଓ ଲୋକ ମାନଙ୍କୁ ଜ୍ଞାନ ବାଣ୍ଟୁଥିଲେ.

ଏକଦା ମହାତ୍ମା ଗୌତମ ବୁଦ୍ଧ  ନିଜର କିଛି ଶିଷ୍ୟଙ୍କୁ ନେଇ ଗୋଟିଏ ଗ୍ରାମରେ ଭ୍ରମଣ କରୁଥିଲେ. ସେଇ ସମୟରେ କୌଣସି ଯାନବାହନର ବ୍ୟବସ୍ତା ନ ଥିଲା. ଲୋକେ ଚାଲି ଚାଲି ଦୂର ଦୁରାନ୍ତକୁ ଯାଉ ଥିଲେ. ଗୌତମ ବୁଦ୍ଧ ଙ୍କର ସେଇ ଗ୍ରାମରେ ଯଥେଷ୍ଟ ସମୟ ବିତି ଯାଇ ଥିଲା ଓ ତାଙ୍କୁ ବହୁତ ଶୋଷ ଲାଗୁ ଥିଳା.ସେ ତାଙ୍କର ଏକ ଶିଷ୍ୟକୁ ଗ୍ରାମରୁ ପାଣି ଆଣିବା ପାଇଁ ପଠାଇଲେ. ଯେତେବେଳେ ଶିଷ୍ୟ ଗ୍ରାମ ଭିତରକୁ ଗଲା, ସେ ଗୋଟିଏ  ନଦୀ ଦେଖି ପାରିଲା. ସେଇ ନଦୀରେ ବହୁତ ଲୋକ ନିଜର ଲୁଗାପଟା ଧୋଉ ଥିଲେ  କିଛି ଲୋକ ମଧ୍ୟ ଗାଧୋଉ ଥିଲେ. ନଦୀର ପାଣି ବହୁତ ଅପରିଷ୍କାର ଦେଖା ଯାଉ ଥିଲା.

ଶିଷ୍ୟକୁ ଲାଗିଲା ଏପରି ଅପରିଷ୍କାର ପାଣି ଗୁରୁଜୀଙ୍କ ପାଇଁ ନେଇଯିବା ଭଲ ହେବ ନାହିଁ . ଏହା ଭାବି ସେ ପାଣି ନ ଆଣି ଖାଲି ହାତରେ ଫେରି ଆସିଲା. ଗୌତମ ବୁଦ୍ଧଙ୍କୁ ବହୁତ ଶୋଷ ଲାଗୁ ଥିଲା. ତେଣୁ ସେ ଦ୍ଵିତୀୟ ଶିଷ୍ୟଙ୍କୁ ପାଣି ଆଣିବା ପାଇଁ ପଠାଇଲେ. କିଛି ସମୟ ପରେ ସେଇ ଶିଷ୍ୟ ପାଣି ନେଇ ଲେଉଟି ଆସିଲା.

ମହାତ୍ମା ବୁଦ୍ଧ ଶିଷ୍ୟଙ୍କୁ ପଚାରିଲେ , ନଦୀର ପାଣି ତ ଅପରିଷ୍କାର ଥିଲା, ତଥାପି ତୁମେ କିପରି ପରିଷ୍କାର ପାଣି ନେଇ ଆସି ପାରିଲ ? ଶିଷ୍ୟ ଉତ୍ତର ଦେଲା, ହେ ପ୍ରଭୁ ! ନଦୀର ପାଣି ବାସ୍ତବରେ ଅପରିଷ୍କାର ଥିଲା. କିନ୍ତୁ ଲୋକମାନେ ଯେତେବେଳେ ସେଠାରୁ ଚାଲିଗଲେ , ମୁଁ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କଲି. ପରେ ପାଣିରୁ ମାଟି ତଳକୁ ଚାଲି ଗଲା ଓ ପାଣି ଧୀରେ ଧୀରେ ସଫା ହୋଇ ଗଲା. ଏହା ପରେ  ସଫା ପାଣି ଉପରକୁ ଆସିଗଲା .

ଗୌତମ  ବୁଦ୍ଧ ଏହା ଶୁଣି ବହୁତ ପ୍ରସନ୍ନ ହେଲେ ଏବଂ ବାକି ଶିଷ୍ୟଙ୍କୁ ଏଇ ଘଟଣାରୁ ଶିକ୍ଷା ଦେଲେ . ସେ କହିଲେ , ଆମର ଏଇ ଜୀବନଟା ପାଣି ପରି. ଯେଉଁ ପର୍ଯ୍ୟନ୍ତ ଆମେ  ଭଲ କର୍ମ କରୁଛେ ସେଇ ପର୍ଯ୍ୟନ୍ତ ସବୁ କିଛି ଶୁଦ୍ଧ ହୋଇ ରହିଥାଏ. କିନ୍ତୁ , ଜୀବନରେ ବହୁବାର ଆମର କୁକର୍ମ ଯୋଗୁ ଏଇ ଶୁଦ୍ଧତା ନଷ୍ଟ ହୋଇ ଆମ ପାଇଁ  ଦୁଃଖ ଆଉ ସମସ୍ୟା ସୃଷ୍ଟି କରେ . ଏହାଦ୍ୱାରା ଜୀବନ ରୁପି ପାଣି ଅପରିଷ୍କାର ହୋଇଯାଏ.

କିଛି ଲୋକ ପ୍ରଥମ ଶିଷ୍ୟ ପରି ଦୁଃଖ ଓ ସମସ୍ୟା ( ଅପରିଷ୍କାର ପାଣି ) ଦେଖି ଘବରେଇ ଯା’ନ୍ତି ଓ ସମସ୍ୟା କୁ ସମାଧାନ ନ କରି ଲେଉଟି ଆସନ୍ତି . ଏଇ ଧରଣର ଲୋକଙ୍କ ଜୀବନରେ କେବେବି ଉର୍ନ୍ନତି ହୁଏ ନାହିଁ ବା ସେମାନେ ଆଗକୁ ବଢି ପାରନ୍ତି ନାହିଁ. କିନ୍ତୁ କିଛି ଲୋକ ଅତ୍ୟନ୍ତ ଧୈର୍ଯ୍ୟଶୀଳ. ସେମାନେ ବ୍ୟାକୁଳ ହୁଅନ୍ତି ନାହିଁ ଓ ଧୈର୍ଯ୍ୟ  ସହକାରେ ଅପେକ୍ଷା କରନ୍ତି . ଏହାଦ୍ୱାରା ଅପରିଷ୍କାର ରୁପି ସମସ୍ୟା ଓ ଦୁଃଖ ନିଜେ ନିଜେ ସମାପ୍ତ ହୋଇ ଯାଆନ୍ତି.

ବନ୍ଧୁବର୍ଗ ,

ଏଇ କାହାଣୀ ଆମକୁ କଅଣ ଶିକ୍ଷା ଦେଉଛି?

ମନେ ରଖନ୍ତୁ- ସମସ୍ୟା, ଦୁଃଖ ଓ କଷ୍ଟ କେବଳ କିଛି ସମୟ ପାଇଁ ଜୀବନ ରୁପି ପାଣିକୁ ଅପରିଷ୍କାର କରିପାରେ. କିନ୍ତୁ, .ଯଦି ଆପଣ ଧୈର୍ଯ୍ୟ ସହକାରେ କାମ କରି ଯିବେ ତା ହେଲେ ସମସ୍ୟା , ଦୁଃଖ ଓ କଷ୍ଟ କିଛି ସମୟ ପରେ ଚାଲିଯିବ……

କୁହନ୍ତୁ ତ ……..

ଏ କାହାଣୀଟି କିପରି ଲାଗିଲା ….

କମେଣ୍ଟ କରିବାକୁ ଭୁଲିବେ ନାହିଁ .

ରହିଲି .

ରତିକାନ୍ତ ସିଂହ